କମଳଲୋଚନ ଚଉତିଶା

 

 

 

 

 

 

 

 

 

କମଳଲୋଚନ ଚଉତିଶା

ଶ୍ରୀ ବଳରାମ ଦାସ

 

 

(କବିଙ୍କ ‘କମଳଲୋଚନ ଜଣାଣ ଚଉତିଶା’ ଅତ୍ୟନ୍ତ ଲୋକପ୍ରିୟ ଚଉତିଶା । ଶହ ଶହ ବର୍ଷ ଧରି ଓଡ଼ିଶାର ପୁରପଲ୍ଲୀରେ ବେଶ୍ ଆଦୃତ । ସରଳ ଭାଷା, ମନୋହର ଶୈଳୀ ଚଉତିଶାକୁ ମାଧୁର୍ଯ୍ୟ ମଣ୍ଡିତ କରିଛି । କ୍ଷୁଦ୍ର ହେଲେ ହେଁ ଚମତ୍କାର ଓ ମନୋମୁଗ୍‍କର ହୋଇଛି । ଉକ୍ତ ଚଉତିଶାରେ କବିଙ୍କ ଭକ୍ତି ପ୍ରାଣତା ଫୁଟି ଉଠିଛି ।)

 

କମଳ ଲୋଚନ ଶ୍ରୀହରି

କରେଣ ଶଙ୍ଖ ଚକ୍ରଧାରୀ

।୧।

ଖଗ ଆସନେ ଖଗପତି

ଖଟନ୍ତି ଲକ୍ଷ୍ମୀ ସରସ୍ୱତୀ

।୨।

ଗରୁଡ଼ ଆସନେ ମୁରାରୀ

ଗୋପରେ ରଖିଲେ ବାଛୁରୀ

।୩।

ଘନ କଠିନ କଳେବର

ଘଟଣା ଶ୍ରୀମୁଖ ସୁନ୍ଦର

।୪।

ନନ୍ଦ ନନ୍ଦନ ଗୋପୀନାଥ

ନିସ୍ତରି ଯିବା ନରେ ଚିନ୍ତ

।୫।

ଚନ୍ଦ୍ରମା ପ୍ରାୟୋକ ବଦନ

ଚାହିଁଲେ ଖଣ୍ଡେ ଦୁଃଖମାନ

।୬।

ଛତ୍ରି ଉତ୍ତମ ଶିରୋମଣି

ଛଟକେ ଆସିଲେ ରୂକ୍ମିଣୀ

।୭।

ଜଗଜ୍ଜୀବନ ଦାଶରଥି

ଜାନକୀ ଦେବୀ ପ୍ରାଣପତି

।୮।

ଝୀନପତନୀ ଅଙ୍ଗେ ଶୋଭା

ଝଟକେ ବିଦ୍ୟୁପ୍ରାୟେ ଆଭା

।୯।

ନୀଳେନ୍ଦ୍ରି ଜଳେ ପଦ୍ମ ଆଖି

ନିସ୍ତରିଯିବା ନରେ ଦେଖି

।୧୦।

 

ଭାବାର୍ଥ- (୧-୧୦) କବି ଜଗତର ନାଥ ଜଗନ୍ନାଥ କମଳ ଲୋଚନ ଶ୍ରୀହରିଙ୍କୁ ଭକ୍ତି ନିବେଦନ ଜଣାଇ ଗାଇଛନ୍ତି- ହେ ପ୍ରଭୁ କମଳ ଲୋଚନ ଶ୍ରୀହରି, ଶଙ୍ଖ ଚକ୍ର ଧାରୀ । ଗରୁଡ଼ବାହନ ତୁମରି, ସର୍ବଦା ଲକ୍ଷ୍ମୀ, ସରସ୍ୱତୀ ତୁମ ପାଦ ତଳେ ଖଟୁଛନ୍ତି । ହେ ଗରୁଡ଼ ଆସୀନ ମୁରାରୀ ! ତୁମରି ମହିମା ଅସୀମ । ଗୋପରେ ବାଛୁରୀ ରଖିଲ ! ତୁମେ ସୁନ୍ଦର, କଳେବର ତୁମର ଘନ କଠିନ ଶ୍ରୀମୁଖ ଶୋଭାରେ ପରିପୂର୍ଣ୍ଣ ।

 

ହେ ନନ୍ଦନନ୍ଦନ ଗୋପୀନାଥ, ତୁମକୁ ଚିନ୍ତା କରି, ପ୍ରାର୍ଥନା କରି ମନୁଷ୍ୟ ଏ ଭବ ସଂସାରରୁ ନିସ୍ତାର ପାଇଯିବ । ଚନ୍ଦ୍ରମାପ୍ରାୟ ମୁଖମଣ୍ଡଳ ତୁମର । ତାକୁ ଦେଖିଲେ ମନୁଷ୍ୟର ସବୁ ଦୁଃଖ ଦୂର ହେବ । ହେ ଛତ୍ରି ଉତ୍ତମ ଶିରୋମଣି, ଜଗଜୀବନ ଦାଶରଥି, ଜାନକୀ ଦେବୀ ପ୍ରାଣପତି, ତୁମର ଅଙ୍ଗଶୋଭା ଆକର୍ଷଣୀୟ । ବିଦ୍ୟୁତର ଆଭା ଯେମିତି ଝଟକୁଛି । ହେ କମଳଲୋଚନ ଶ୍ରୀହରି, ତୁମର ଚକ୍ଷୁ ପଦ୍ମ ପରି କମନୀୟ । ତାକୁ ଯିଏ ଦେଖିବ ଏ ପାପ ସଂସାରରୁ ତରିଯିବ ।

 

ଟେକିଲେ ଦୂବ କଲେ ଦାରୁ

ଟାଣ ପଣରେ ଭାଙ୍ଗେ ମେରୁ

।୧୧।

ଠଣ ସୁନ୍ଦର ଶିରୋମଣି

ଠିକେ କମଳା ଯା’ର ରାଣୀ

।୧୨।

ଡମ୍ବରୁଧର ଯାକୁ ସେବା

ଡରେ ଖଟନ୍ତି ସର୍ବଦେବା

।୧୩।

ଢମ ଯେ କଲା ରାୟେ କଂସ

ତକେ ଅସୁର ଗଲା ନାଶ

।୧୪।

ଅନନ୍ତ ନାମେ ଅନ୍ତ ନାହିଁ

ଅଣ ଅକ୍ଷରେ ଯାର ଦେହୀ

।୧୫।

ତପନ କୁଳେ ଅବତରି

ତାରିଲେ ଗଉତମ ନାରୀ

।୧୬।

ଥବିର ପଣେ ମାୟାଗତି

ଥୟ ନ ଜାଣେ ବେଦପତି

।୧୭।

ଦରିଦ୍ର ଦାମୋଦର ମିତ୍ର

ଦଣ୍ଡକେ ଦେଲେ କୋଟି ଅର୍ଥ

।୧୮।

ଧରଣୀଧର ଶିରୋମଣି

ତାହାକୁ ନିସ୍ତାରିଲେ ପୁଣି

।୧୯।

ନୃସିଂହ ମାଧବ ମୁରାରି

ବଖେଣ ହିରଣୀ ବିଦାରି

।୨୦।

 

ଭାବାର୍ଥ- (୧୧-୨୦) ହେ ଭଗବାନ ମୁରାରି ! ତୁମର ମହିମାର ଅନ୍ତ ନାହିଁ । ତୁମେ ଦୂବ ଟେକି ଦାରୁ କରିପାର । ଟାଣ ପଣରେ ମେରୁ ଭାଙ୍ଗି ଦେଇପାର । ହେ ଠଣସୁନ୍ଦର ଶିରୋମଣି, ମାତା ଲକ୍ଷ୍ମୀ ଯାହାର ପ୍ରାଣପ୍ରିୟା, ମୁଁ ତାଙ୍କର ପଦାରବିନ୍ଦରେ ଶତବାର ପ୍ରଣିପାତ କରୁଛି । ଭଗବାନ ଶଙ୍କର, ଯାହାଙ୍କୁ ସର୍ବଦା ସେବା କରନ୍ତି, ଦେବଗଣ ଯାହାଙ୍କ ସେବାରେ ଦିନରାତି ଖଟିଥା’ନ୍ତି, ସେଇ କମଳଲୋଚନ ଶ୍ରୀହରିଙ୍କୁ ମୁଁ ଭକ୍ତି ଭାବରେ ବନ୍ଦନା କରୁଛି ।

 

ରାଜା କଂସ ତୁମ ପ୍ରତି ଶତ୍ରୁତା ଆଚରଣ କରି ବିନାଶ ଗଲା । ତୁମରି ନାମର ଅନ୍ତ ନାହିଁ । ଅଣାକାର ତୁମେ । ସୂର୍ଯ୍ୟବଂଶରେ ଅବତାର ଗ୍ରହଣ କରି ଗୌତମ ପତ୍ନୀ ଅହଲ୍ୟାଙ୍କୁ ଅଭିଶାପରୁ ଉଦ୍ଧାର କରିଛ । ତୁମର ମହିମାର ପଟାନ୍ତର ନାହିଁ । ଯାହାଙ୍କ ମହିମା ବ୍ରହ୍ମାଙ୍କୁ ଅଗୋଚର । ଦରିଦ୍ର ସୁଦାମା ସ୍ଵୟଂ ଦାମୋଦରଙ୍କ ବନ୍ଧୁ । କ୍ଷଣିକ ମଧ୍ୟରେ ତୁମେ ତାଙ୍କୁ କୋଟି ଅର୍ଥ ପ୍ରଦାନ କଲ । ହେ ପ୍ରଭୁ, ଭକ୍ତ ଶିରୋମଣି, ଦୀନଜନର ରକ୍ଷାକାରୀ, ହେ ନୃସିଂହ ମାଧବ ମୁରାରି, ହିରଣ୍ୟ କଶ୍ୟପର ବକ୍ଷକୁ ବିଦାରିଛି ।

 

ହେ ପରମାନନ୍ଦ ପଦ୍ମପାଦ

ରିମ ରହିଲି ପଦ୍ମନାବ

।୨୧।

ଫୁଲପଣକୁ ନୋହେ ସରି

ଫୁଲମାଳରେ ଦେହ ପୂରି

।୨୨।

ବାଳିକୁ ବଧ କଲ ହେଳେ

ବନ୍ଧ ବାନ୍ଧିଲ ସିନ୍ଧୁ ଜଳେ

।୨୩।

ଭାଙ୍ଗିଲ ରତ୍ନମୟ ପୁର

ଭ୍ରାନ୍ତି ଛାଡ଼ିଲା ଦେବଙ୍କର

।୨୪।

ମାଇଲ ଅକ୍ଷୟ ରାବଣ

ମହିଁମା କେ କରେ ବଖାଣ

।୨୫।

ଯାଦବ ବଂଶେ ଜାତ ହୋଇ

ଜଗତ ଉଦ୍ଧରିବା ପାଇଁ

।୨୬।

ରଖିଲ ଜଳରେ ଗଜକୁ

ରାଗେଣ ଛେଦିଲ ଗ୍ରାହକୁ

।୨୭।

 

ଭାବାର୍ଥ– (୨୧-୨୮) ହେ ପରମାନନ୍ଦ ପଦ୍ମପାଦ, ଫୁଲମାଳରେ ଦେହ ତୁମର ପରିପୂର୍ଣ୍ଣ । ନିମିଷକ ମଧ୍ୟରେ ବାଳିକୁ ବଧ କଲ, ସମୁଦ୍ର ଜଳରେ ବନ୍ଧ ବାନ୍ଧିଲ । ସୁବର୍ଣ୍ଣ ଲଙ୍କାପୁରକୁ ଧ୍ୱଂସ କଲ । ଫଳରେ ଦେବଗଣ ରାବଣର ଭୟରୁ ବା ଭ୍ରାନ୍ତିରୁ ମୁକ୍ତି ପାଇଲେ । ଯୁଦ୍ଧରେ ଅକ୍ଷୟ ରାବଣକୁ ବଧ କଲ । ତୁମର ମହିମା କିଏ ବଖାଣି ପାରିବ ?

 

ଯାଦବ ବଂଶରେ ଜନ୍ମ ନେଇ ଜଗତ ଉଦ୍ଧାରିଛ । ଅନେକ ଅସୁରକୁ ବିନାଶ କରିଛ । ଜଳ ମଧ୍ୟରେ କୁମ୍ଭୀର ବିପଦରେ ପଡ଼ିଥିଲା, ତାକୁ କ୍ରୋଧରେ ଛେଦ କଲ ।

 

ଲାବଣ୍ୟ ମୂର୍ତ୍ତି ଲକ୍ଷ୍ମୀଧର

ଲୟ କରନ୍ତି ସୁରନର

।୨୮।

ଶ୍ରୀପତି ଶ୍ରୀକର ଶ୍ରୀଧର

ଶ୍ରିୟା ଦେବୀଙ୍କ ମନୋହର

।୨୯।

ସଂସାର ଭିତରେ ଉତ୍ତମ

ସାଧୁଙ୍କ ହିତରେ ଜନମ

।୩୦।

ଶ୍ୟାମ ସୁନ୍ଦର କଳେବର

ସକଳ ଦେବେ ପରିଚାର

।୩୧।

ହରି ବୋଇଲେ ହରେ ଦୁଃଖ

ହରି ଆନନ୍ଦ ମହାସୁଖ

।୩୨।

କ୍ଷମା ସାଗର ପୀତବାସ

କ୍ଷମିଲେ ବଳରାମ ଦାସ

।୩୩।

 

ଭାବାର୍ଥ– (୨୯-୩୪) ଅପରୂପ ଲାବଣ୍ୟଧାରୀ ହେ ମୂର୍ତ୍ତିମନ୍ତ ଲକ୍ଷ୍ମୀଧର ! ଦେବ, ନର ସମସ୍ତେ ତୁମର ଆଜ୍ଞାକାରୀ । ହେ ଶ୍ରୀପତି, ଶ୍ରୀକର, ଶ୍ରୀଧର, ଶ୍ରୀୟା ଦେବୀଙ୍କ ମନୋହର ନାରାୟଣ; ସଂସାର ଭିତରେ ତୁମେ ସର୍ବୋତ୍ତମ । ଦୁଷ୍ଟଜନର ବିନାଶ ଓ ସାଧୁସନ୍ଥର ପରିତ୍ରାଣ ପାଇଁ ଜନ୍ମ ନେଇଛ । ହେ ଶ୍ୟାମ ସୁନ୍ଦର କଳେବର, ଯାହାଙ୍କ ଚରଣରେ ଦେବଗଣ ପରିଚାର ହୋଇଛନ୍ତି, ସେଇ ପରମେଶ୍ୱରଙ୍କୁ ମୁଁ ପ୍ରାର୍ଥନା କରୁଛି । ହରିଙ୍କୁ ଯିଏ ଥରେ ଡାକିଛି, ତା’ର ଦୁଃଖ ହରଣ ହୋଇଛି । ହରିଙ୍କୁ ଯିଏ ଡାକିଛି, ତା’ର ଆନନ୍ଦର ସୀମା ନାହିଁ, ସିଏ ମହାସୁଖର ଅଧିକାରୀ ହୋଇଛି । କବି ଆର୍ତ୍ତ କଣ୍ଠରେ ପ୍ରାର୍ଥନା କଲେ- ହେ କ୍ଷମା ସାଗର ପୀତବାସ, ମୋତେ କ୍ଷମା କର-

Image